Unknown

 

 

 

 

 

 

 

 

 

 

 

ବେଙ୍ଗରାଣୀର କୁହୁକ

ଯତୀନ୍ଦ୍ର କୁମାର ଦାସ

 

ସୂଚୀପତ୍ର

 

୧.

ବୁଦ୍ଧିମତୀ ଝିଅ

୨.

ଶୁଆର ଚାଲାଖି

୩.

ବେଙ୍ଗରାଣୀର କୁହୁକ

Image

 

ବୁଦ୍ଧିମତୀ ଝିଅ

 

ଦୁଇ ଭାଇ ଥାଆନ୍ତି । ଜଣେ ଧନୀ, ଅନ୍ୟ ଜଣକ ଗରିବ । ଧନୀ ଭାଇ ଜାଣିଥାଏ ତା’ ଗରିବ ଭାଇର କିଛି ନାହିଁ । –ଏପରିକି ପିଲାଙ୍କ ପାଟିରେ ମୁନ୍ଦାଏ ଦୁଧ ଦେବାର ବି କ୍ଷମତା ନାହିଁ । ଭାଇ ପାଇଁ ତା’ର ଭାରି ଦୁଃଖ ହେଲା । ତେଣୁ ସେ ତାକୁ ଗାଈଟିଏ ଦେଲା ।

 

ସେ କହିଲା, ‘‘କିଛି ଭାବନା । କାମ କରି ତୁ ଗାଈ ଦାମ୍‍ ସୁଝି ଦେବୁ ।’’

 

ଗରିବ ଭାଇ ଧନୀ ଭାଇ ଘରେ କାମ କରିବାକୁ ଲାଗିଲା । ଗାଈର ମୂଲ୍ୟ ସୁଝା ସରିଲା । ଧନୀ ଭାଇ ଭାବିଲା, ଏବେ ଗାଈଟା ଫେରେଇ ନେବା ଭଲ ହେବ ।

 

ଗରିବ ଭାଇ କହିଲା, କିନ୍ତୁ ଭାଇ, ତମ ଘରେ ମୁଁ ଏତେ ଖଟିଛି । ଦିନ ରାତି ଲୋଟଣି ପାରା ପରି କାମରେ ଲାଗିଛି । ମୋ କାମର କ’ଣ କିଛି ମୂଲ୍ୟ ନାହିଁ ?’’

 

ଧନୀ ଭାଇ ଉତ୍ତର ଦେଲା, ‘‘ତାକୁ କ’ଣ କାମ କହନ୍ତି ? ତୁ କିଛି କାମ କରି ନାହୁଁ । ମୁଁ ଗାଈକୁ ଫେରାଇ ନେବାକୁ ଚାହେଁ । ବାସ୍‍, ଆଉ କିଛି ମୁଁ ଶୁଣିବାକୁ ଚାହେଁ ନାହିଁ ।’’

 

ଏତେଦିନ ଯାଏ ଅକାରଣେ ପରିଶ୍ରମ କରିଥିବାରୁ ଗରିବ ଭାଇ ମନରେ ଭାରି ଦୁଃଖ ହେଲା । ସେ ଗାଈ ଫେରାଇବାକୁ ରାଜି ହେଲା ନାହିଁ । ତେଣୁ ଦୁହେଁ ରାଜାଙ୍କ ପାଖକୁ ଗଲେ । ରାଜା ଠିକ୍ କଥା କହିବେ ।

Image

କିନ୍ତୁ ରାଜା କିଛି ବିଚାର କରିବାକୁ ରାଜି ହେଲେ ନାହିଁ । କହିଲେ–

 

‘‘ମୁଁ ତମମାନଙ୍କୁ ତିନୋଟି ପ୍ରଶ୍ନ ପଚାରିବି । ଯିଏ ଠିକ୍‍ ଉତ୍ତର ଦେବ, ଗାଈଟି ତା’ର ହେବ ।’’

 

‘‘ହଁ ମଣିମା, କହନ୍ତୁ ।’’

 

‘‘ହଉ ଶୁଣ ତା’ହେଲେ । ପ୍ରଥମ ପ୍ରଶ୍ନ– ମଣିଷ ପେଟକୁ କିଏ ସବୁଠୁ ଭଲ ଭାବରେ ପୂର୍ଣ୍ଣ କରିଦିଏ ? ଦ୍ୱିତୀୟ ପ୍ରଶ୍ନ– କିଏ ତାକୁ ସବୁଠୁ ବେଶି ଆନନ୍ଦ ଦିଏ ? ତୃତୀୟ ପ୍ରଶ୍ନ– କିଏ ସବୁଠୁ ଶୀଘ୍ର ଯାଇପାରେ ?’’

 

ଏଥର ଘରକୁ ଯାଅ । ‘‘ସବୁ କଥା ଭଲ ଭାବରେ ଭାବିବ । ତା’ପରେ କାଲି ଆସି ଉତ୍ତର ଦେବ ।’’

 

ଦୁଇ ଭାଇ ଚାଲିଗଲେ । ବାଟରେ ଧନୀ ଭାଇ ମନେ ମନେ ଭାବିଲା–

 

ତିନୋଟିଯାକ ପ୍ରଶ୍ନ ନିହାତି ବାଜେ । ମତେ ସେଥିପାଇଁ ବେଶି ମୁଣ୍ଡ ଖେଳାଇବାକୁ ପଡ଼ିବ ନାହିଁ । ମାଂସ ଖାଇଲେ ପେଟ ଭଲ ଭାବରେ ପୂରିଯାଏ । ଟଙ୍କା ମଣିଷକୁ ବେଶି ଆନନ୍ଦ ଦିଏ । ଶିକାରୀ କୁକୁରମାନେ ସବୁଠୁ ବେଶି ଜୋରରେ ଦଉଡ଼ି ପାରନ୍ତି । ଗାଈଟି ନିଶ୍ଚୟ ମୋର ହେବ ।

 

କିନ୍ତୁ ଗରିବ ଭାଇର ମୁଣ୍ଡକୁ କିଛି ଉତ୍ତର ଢୁକିଲା ନାହିଁ । ସେ ମୁଣ୍ଡ ତଳକୁ କରି ଶୁଖିଲା ମୁହଁରେ ଘରକୁ ଫେରିଆସିଲା ।

 

ତା’ର ଗୋଟିଏ ଝିଅ ଥାଏ । ସେ ବାପାଙ୍କ ଶୁଖିଲା ମୁହଁ ଓ ଛଳ ଛଳ ଆଖି ଦେଖି କ’ଣ ହୋଇଛି ବୋଲି ପଚାରିଲା ।

 

ବାପା କହିଲେ– ‘‘ରାଜା ମତେ ତିନୋଟି ପ୍ରଶ୍ନ ପଚାରିଛନ୍ତି । ମୋ ଜୀବନ ଚାଲିଗଲେ ବି ତା’ ଉତ୍ତର ମୁଁ ଦେଇପାରିବି ନାହିଁ ।

 

ଝିଅ ପଚାରିଲା, ‘‘କ’ଣ ପଚାରିଛନ୍ତି ?’’

 

ପ୍ରଥମ ପ୍ରଶ୍ନ ହେଉଛି, ମଣିଷର ପେଟ କିଏ ଭଲ ଭାବରେ ପୂର୍ଣ୍ଣ କରିଦିଏ ? ଦ୍ୱିତୀୟ– କିଏ ତାକୁ ସବୁଠୁ ଆନନ୍ଦ ଦିଏ ? ତୃତୀୟ ହେଉଛି– କିଏ ଖୁବ୍ ଶୀଘ୍ର ଯାଇପାରେ ?’’

 

ଝିଅ କହିଲା– ‘‘ଏୟା ତ ? ଏହାର ଉତ୍ତର ଖୁବ୍ ସହଜ । ଆମ ପୃଥିବୀ ମାତା ସବୁଠୁ ଭଲ ଭାବରେ ଆମ ପେଟ ପୂର୍ଣ୍ଣ କରିଦିଏ । ମଣିଷ ମନର ଭାବନା ଖୁବ୍ ଶୀଘ୍ର ଯାଇପାରେ । କାରଣ ଆଖି ପିଛୁଳାକେ ଆମକୁ ଯେ କୌଣସି ଜାଗାରେ ପହଞ୍ଚାଇ ଦିଏ । ନିଦ ଆମକୁ ସବୁଠୁ ବେଶି ଆନନ୍ଦ ଦିଏ । କାରଣ ତା’ପାଇଁ ଆମ ମୂଲ୍ୟବାନ ଜିନିଷକୁ ବି ଆମେ ଭୁଲିଯାଉ ।’’

 

‘‘ତୁ ଠିକ୍ କହିଛୁ ଝିଅ । ତୁ ଯାହା କହିଲୁ ମୁଁ ରାଜାଙ୍କୁ ସେୟା କହିବି ।’’

 

ତା’ ପରଦିନ ଦୁଇ ଭାଇ ରାଜାଙ୍କ ପାଖକୁ ଗଲେ ରାଜା ପଚାରିଲେ ‘‘କ’ଣ ଉତ୍ତର ପାଇଲ ?’’

 

ସେମାନେ କହିଲେ– ‘‘ହଁ ।’’

 

ଧନୀ ଭାଇ ପ୍ରଥମେ ଉତ୍ତର ଦେବାକୁ ଚାହିଁଲା । ତା’ହେଲେ ସେ ଗାଈଟି ପାଇଯିବ । ତେଣୁ ସେ କହିଲା,

 

‘‘ମାଂସ ମଣିଷର ପେଟକୁ ଭଲ ଭାବରେ ପୂର୍ଣ୍ଣ କରିଦିଏ । ଟଙ୍କା ତାକୁ ସବୁଠୁ ବେଶି ଆନନ୍ଦ ଦିଏ । ଶିକାରୀ କୁକୁର ସମସ୍ତଙ୍କଠୁ ଶୀଘ୍ର ଯାଇପାରେ ।’’

 

ରାଜା କହିଲେ– ‘‘ନା, ନା, ତୋ ଉତ୍ତର ପୂରାପୂରି ଭୁଲ ।’’ ତା’ପରେ ସେ ଗରିବ ଭାଇ ଆଡ଼େ ଚାହିଁ କହିଲେ– ‘‘ଭାଇଠାରୁ ତୁ ଭଲ ଉତ୍ତର ଦେବୁ ବୋଲି ମୋର ଆଶା ।’’

 

ଗରିବ ଭାଇ କହିଲା–

 

‘‘ମୋ ଉତ୍ତର ଶୁଣନ୍ତୁ । ପୃଥିବୀମାତା ଭଲ ଭାବରେ ଆମ ପେଟ ପୂର୍ଣ୍ଣ କରିପାରନ୍ତି । କାରଣ ସେ ଜୀବନସାରା ଆମକୁ ଖୁଆଇଥାଆନ୍ତି ।’’

 

ରାଜା ଚିତ୍କାର କରି କହିଲେ, ‘‘ଠିକ୍ କହିଛୁ । ଏବେ କହିଲୁ, କିଏ ସମସ୍ତଙ୍କ ଠାରୁ ଶୀଘ୍ର ଯାଇପାରେ ।’’

 

ଗରିବ ଭାଇ କହିଲା ‘‘ମନର ଭାବନା । କାରଣ ଆମେ ଯେଉଁଠିକୁ ଯିବାକୁ ଚାହୁଁ ସେ ଆମକୁ ଆଖି ପିଛୁଳାକେ ସେଇ ସ୍ଥାନରେ ପହଞ୍ଚାଇ ଦିଏ ।’’

 

‘‘ଠିକ୍ । ଏବେ ମଣିଷକୁ କିଏ ସବୁଠୁ ବେଶି ଆନନ୍ଦ ଦିଏ କହିଲୁ ?’’

 

‘‘ନିଦ । କାରଣ ମଣିଷ ତା’ର ସବୁକିଛି ଏହି ନିଦପାଇଁ ଛାଡ଼ି ଦେଇପାରେ ।’’

 

ରାଜା କହିଲେ ‘‘ଠିକ୍ କହିଛୁ’ । ଏବେ ଗାଈଟି ତୋର । ଆଚ୍ଛା ସତ କହିଲୁ, ଉତ୍ତର ଦେବାପାଇଁ ତତେ କିଏ ସାହାଯ୍ୟ କରିଛି ?’’

 

ଗରିବ ଭାଇ କହିଲା ‘‘ମୋ ଝିଅ ।’’

 

ରାଜା ସଙ୍ଗେ ସଙ୍ଗେ ରାଗିଗଲେ ।

 

ମୁଁ ଜଣେ ପଣ୍ଡିତ । କେତେ କଥା ଜାଣେ ଗୋଟିଏ ଗାଉଁଲୀ ଝିଅ ମୋ ପରି ଜାଣିଛି ବୋଲି ଦେଖେଇ ହେବ, ଏହା ମୋଟେ ସହି ହେବନି ।

 

ସେ ପାଟି କରି କହିଲେ ‘‘ଶୀଘ୍ର ଘରକୁ ଯାଅ । ଏଇ ଦଶଟି ସିଝାଅଣ୍ଡା ସାଙ୍ଗରେ ନେଇଯାଅ । ଝିଅକୁ କହିବୁ, ଏଇ ଅଣ୍ଡାଗୁଡ଼ିକ ଉଷୁମେଇ ଦଶଟି କୁକୁଡ଼ା ଛୁଆ ବାହାର କରିବ । ସେଗୁଡ଼ିକୁ ବଡ଼ କରିବ । ସେଥିରୁ ତିନୋଟିକୁ ତରକାରୀ କରିବ । ତୁ ସେ ତରକାରୀ କାଲି ସକାଳେ ମୋ ଜଳଖିଆ ପାଇଁ ନେଇଆସିବୁ ।’’

 

ଗରିବ ଭାଇଟି ଘରକୁ ଫେରିଗଲା । ଦୁଃଖରେ ତା’ ଆଖିରୁ ଥପ୍ ଥପ୍ ହୋଇ ଲୁହ ଝରି ପଡ଼ୁଥାଏ ।

 

ଝିଅ ପଚାରିଲା– ‘‘ବାପା, କ’ଣ ହେଲା ? ତୁମେ କାନ୍ଦୁଛ କାହିଁକି ?’’

 

ସେ ଉତ୍ତର ଦେଲା– ‘‘ଆଉ କ’ଣ କରିବି ଝିଅ ? ରାଜା ମତେ ଦଶଟି ସିଝା ଅଣ୍ଡା ଦେଇଛନ୍ତି । ସେଥିରୁ ଛୁଆ ବାହାର କରି ବଢ଼େଇ କୁଢ଼େଇ ତିନୋଟି ଛୁଆ ତରକାରୀ ହେବେ । ସେ ତରକାରୀ ରାଜା ସକାଳ ଜଳଖିଆରେ ଖାଇବେ ।’’

 

ଝିଅ ହସିଲା ।

 

ସେ ବାପାଙ୍କୁ ଫୁଟନ୍ତା ଜାଉ ବେଲାଏ ଦେଇ କହିଲା ‘‘ଏଇ ମାଣ୍ଡିଆ ଜାଉତକ ରାଜାଙ୍କ ପାଖକୁ ନେଇ ଯାଅ । ତାଙ୍କୁ କହିବ ଜମି ଚଷି ଏଇ ମାଣ୍ଡିଆତକ ବୁଣି ଦେବେ । ମାଣ୍ଡିଆ ଅମଳ କରି ମୋ ପାଖକୁ ପଠାଇ ଦେବେ । କାରଣ ଅଣ୍ଡାରୁ ଛୁଆ ବାହାରିବା ମାତ୍ରେ ମାଣ୍ଡିଆ ଖାଇବେ ।’’

 

ଗରିବ ଭାଇ ମାଣ୍ଡିଆ ଜାଉ ଧରି ରାଜାଙ୍କ ପାଖକୁ ଗଲା । ଝିଅ ଯାହା ଯାହା କହିଥିଲା ରାଜାଙ୍କୁ ସବୁ କଥା କହିଲା ।

 

ରାଜା ଜାଉକୁ ଚାହିଁଲେ । ତା’ପରେ ତାହା କୁକୁରକୁ ଦେଇ ଦେଲେ । ତା’ପରେ ସେ କେତୋଟି ନଳିତା ଗଛ ଦେଇ କହିଲେ–

 

‘‘ଏ ଗଛତକ ନେ, ଝିଅକୁ ଦେବୁ । ଏହାକୁ ବତୁରାଇ ଶୁଖାଇ ତନ୍ତୁ ବାହାର କରିବ । ସେଥିରେ ଶହେ ଗଜ ଲୁଗା ବୁଣିବ । ଯଦି ସେ ଏହା ନ କରେ ତୋର ଆଉ ରକ୍ଷା ନାହିଁ ବୋଲି ବୁଝିବୁ ।’’

 

ଗରିବ ଭାଇ ନଳିତା ବିଡ଼ାଟି ଧରି ଘରକୁ ଚାଲିଲା । ଦୁଆର ମୁହଁ ପାଖରେ ଝିଅ ସଙ୍ଗେ ତା’ର ଦେଖା ହେଲା । ଝିଅ ପଚାରିଲା– ‘‘କ’ଣ ହୋଇଛି ବାପା ? ଏମିତି କାନ୍ଦୁଛ ଯେ ।’’

 

ଗରିବ ଭାଇ କହିଲା– ‘‘କ’ଣ କରିବି ଝିଅ ? ରାଜା ଏଇ ଝୋଟ ଗଛତକ ଦେଇଛନ୍ତି । ଏହାକୁ ତୁ ବତୁରାଇ ଶୁଖାଇ ସୂତା ବାହାର କରିବୁ । ତା’ପରେ ଶହେ ଗଜ ଲୁଗା ବୁଣିବୁ ।’’

 

ଝିଅ ସବୁ କଥା ଚୁପଚାପ ଶୁଣିଗଲା । ତା’ପରେ ସରୁ ଡାଳ ଖଣ୍ଡେ ଗଛରୁ କାଟି ତା’ ବାପାଙ୍କୁ ଦେଲା । କହିଲା–

 

‘‘ଏଇ ଡାଳଟି ରାଜାଙ୍କ ପାଖକୁ ନେଇଯାଅ । ତାଙ୍କୁ କହିବ ଏଥିରୁ ମୋ ପାଇଁ ତାକୁଡ଼ିଟିଏ ତିଆରି କରିଦେବେ । ତା’ ହେଲେ ସେଥିରେ ମୁଁ ସୂତା କାଟି ଲୁଗା ବୁଣି ପାରିବି ।’’

 

ରାଜା ଡାଳକୁ ଦେଖିଲେ । ତା’ପରେ ତାକୁ ଫୋପାଡ଼ି ଦେଲେ ।

 

ସେ ମନେ ମନେ କହିଲେ– ଏ ଝିଅକୁ ସହଜରେ ବୋକା ବନେଇ ହେବନି ।

 

ସେ ପୁଣି କ’ଣ ଭାବିଲେ, ତା’ପରେ ଗରିବ ଭାଇକୁ କହିଲେ–

 

‘‘ତୋ ଝିଅକୁ ଯାଇ କହ, ସେ ମୋ ସଙ୍ଗେ ସାକ୍ଷାତ୍ କରୁ । କିନ୍ତୁ ସେ ଚାଲି ଚାଲି ଆସିବ ନାହିଁ କି ଗାଡ଼ି ଚଢ଼ି ଆସିବ ନାହିଁ । ଖାଲି ପାଦରେ ଆସିବ ନାହିଁ କି ବିନା ଜୋତାରେ ଆସିବ ନାହିଁ । କୌଣସି ଭେଟି ଆଣିବ ନାହିଁ କି ଭେଟି ବିନା ଆସିବ ନାହିଁ । ଯଦି ସେ ଏହା କରି ନ ପାରେ ତୋର ଆଉ ରକ୍ଷାନାହିଁ । ବୁଝିଲୁ ?’’

 

ଗରିବ ଭାଇ ଘରକୁ ଚାଲିଗଲା । ତା’ ଆଖିରୁ ଲୁହ ବୋହି ପଡ଼ୁଥାଏ ।

 

‘‘ଏବେ ଆମେ କ’ଣ କରିବା ଝିଅ ? ଦେଖିଲୁ ରାଜା ତତେ କ’ଣ କରିବାକୁ କହିଛନ୍ତି-?’’

 

ତା’ପରେ ସେ ଝିଅକୁ ସବୁ କଥା କହିଲା । ଝିଅ କହିଲା–

 

‘‘ତୁମେ ମନ ଦୁଃଖ କରନି ବାପା । ଆମର କିଛି କ୍ଷତି ହେବନି । ତମେ ମୋ ପାଇଁ ଗୋଟିଏ ଜୀଅନ୍ତା ଠେକୁଆ ଆଣ ।’’

 

ବାପା ଗୋଟିଏ ଜୀଅନ୍ତା ଠେକୁଆ କିଣି ଆଣିଲେ । ଝିଅ ସଙ୍ଗେ ସଙ୍ଗେ ରାଜଉଆସକୁ ଯିବାପାଇଁ ଠିକ୍ କଲା । ଗୋଟିଏ ଛୋଟ ଶଗଡ଼ ଗାଡ଼ି ଆଣିଲା । ଗାଡ଼ିରେ ଗୋଟିଏ ଛେଳି ଯୋଚିଲା । ଗୋଟିଏ ହାତରେ ଘରଚଟିଆ ଚଢ଼େଇଟିଏ ଧରି ଗୋଟିଏ ପାଦରେ ଜୋତା ପିନ୍ଧିଲା । ଅନ୍ୟ ପାଦଟି ଖାଲି ଥାଏ । ତା’ପରେ ଠେକୁଆକୁ ଡାହାଣ କାଖ ତଳେ ଜାକି ଧରିଲା । ଖାଲି ପାଦଟି ଗାଡ଼ି ଉପରେ ରଖିଲା । ଚଢ଼େଇକୁ ବାଁ ହାତରେ ଧରିଲା । ତା’ପରେ ରାଜାଙ୍କ ଉଆସ ଆଡ଼େ ଗଲା ।

Image

ରାଜା ତାକୁ ଆସୁଥିବାର ଦେଖିଲେ । ସେ ଜାଣିପାରିଲେ ଝିଅଟି ବୁଦ୍ଧିରେ ତାଙ୍କୁ ବଳେଇ ଯାଇଛି । ସେ ତା’ ପିଛା କୁକୁରମାନଙ୍କୁ ଲଗେଇ ଦେବାକୁ ହୁକୁମ ଦେଲେ ।

 

ଝିଅଟି ସଙ୍ଗେ ସଙ୍ଗେ ଠେକୁଆକୁ ତଳକୁ ଫୋପାଡ଼ି ଦେଲା । କୁକୁରଗୁଡ଼ାକ ତାକୁ ଛାଡ଼ିଦେଇ ଠେକୁଆ ପଛରେ ଦଉଡ଼ିବାକୁ ଲାଗିଲେ ।

 

ଏଇ ସମୟରେ ଝିଅ ରାଜାଙ୍କ ପାଖକୁ ଆସି ତାଙ୍କୁ ନମସ୍କାର ହେଲା । କହିଲା–

 

‘‘ମଣିମା ! ଆପଣଙ୍କ ପାଇଁ ଏଇ ଛୋଟ ଭେଟିଟି ଆଣିଛି ।’’

 

ଏହା କହି ସେ ଚଢ଼େଇକୁ ତାଙ୍କ ଆଡ଼କୁ ବଢ଼େଇ ଦେଲା । କିନ୍ତୁ ରାଜା ଘରଚଟିଆକୁ ଧରିବା ଆଗରୁ ସେ ଡେଣା ଫଡ଼ ଫଡ଼ କରି ଉଡ଼ିଗଲା ।

 

ଠିକ୍ ସେତିକିବେଳେ ଦୁଇଜଣ ଲୋକ ରାଜାଙ୍କୁ ଦେଖା କରିବାକୁ ଆସିଲେ । କିଏ ସତ କହୁଚି ଓ କିଏ ମିଛ କହୁଚି ବିଚାର କରିବାପାଇଁ ରାଜାଙ୍କୁ ଅନୁରୋଧ କଲେ ।

 

ରାଜା କହିଲେ, ‘‘ତୁମେ ଦୁହେଁ କାହିଁକି କଳି କରୁଛ ? କ’ଣ ହୋଇଛି ?’’

 

ପ୍ରଥମ ଲୋକଟି କହିଲା– ‘‘ଏଇ ଲୋକଟି ଓ ମୁଁ ପଡ଼ିଆରେ ଶୋଇଥିଲୁ । ସକାଳୁ ନିଦରୁ ଉଠି ମୁଁ ଦେଖିଲି ମୋ ଘୋଡ଼ୀ ଛୁଆଟିଏ ଜନ୍ମ କରିଛି ।’’

 

ଦ୍ୱିତୀୟ ଲୋକଟି କହିଲା– ‘‘ମଣିମା ! ସେ ଡାହା ମିଛ କହୁଛି । ମୋ ଘୋଡ଼ୀ ଛୁଆଟିଏ ଜନ୍ମ କରିଛି ।’’

 

ରାଜା କିଛି ସମୟ କ’ଣ ଭାବିଲେ । ତା’ପରେ କହିଲେ, ‘‘ଦୁଇ ଘୋଡ଼ୀ ଓ ଛୁଆକୁ ଏଠିକି ନେଇ ଆସ । ଛୁଆଟି ନିଶ୍ଚୟ ତା’ ମା’ପାଖକୁ ଦଉଡ଼ିଯିବ । ତା’ହେଲେ ଆମେ ଆମ ଉତ୍ତର ପାଇଯିବା ।’’

 

ଦୁଇ ଘୋଡ଼ୀଙ୍କୁ ଅଣାଗଲା । ତା’ପରେ ଘୋଡ଼ୀ ଦୁହିଁଙ୍କୁ ବାନ୍ଧିଦେଇ ଛୁଆକୁ ଛାଡ଼ି ଦିଆହେଲା । ଦୁଇ ଜଣ ଲୋକ ଛୁଆକୁ ଡାକିଲେ । ଘୋଡ଼ାଛୁଆଟି ତରକି ଯାଇ ବାହାରକୁ ଦଉଡ଼ି ଦଉଡ଼ି ପଳାଇଗଲା । ସମସ୍ତେ ବୋକାଙ୍କ ପରି ଚାହିଁ ରହିଲେ ।

 

ଝିଅ କହିଲା– ‘‘ଘୋଡ଼ୀ ଦୁହିଁଙ୍କୁ ଫିଟାଇ ଦିଅନ୍ତୁ । ଛୁଆକୁ ବାନ୍ଧି ପକାନ୍ତୁ । ଛୁଆର ମା’ ନିଶ୍ଚୟ ଛୁଆ ପାଖକୁ ଚାଲିଯିବ ।’’

 

ସେ କହିବା ମୁତାବକ ଘୋଡ଼ୀ ଦୁହିଁଙ୍କୁ ଫିଟାଇ ଦିଆଗଲା । ସଙ୍ଗେ ସଙ୍ଗେ ଗୋଟିଏ ଘୋଡ଼ୀ ସିଧା ଛୁଆ ପାଖକୁ ଦଉଡ଼ି ଗଲା ।

 

ରାଜା ଜାଣିଗଲେ, ଝିଅଟି ତାଙ୍କଠାରୁ ବୁଦ୍ଧିଆ । ସେ କେବେ ତାକୁ ବୁଦ୍ଧିରେ ଟପିଯାଇ ପାରିବେ ନାହିଁ ।

Image

 

ଶୁଆର ଚାଲାଖି

 

ଗୋଟିଏ ଗାଁରେ ଜଣେ କାଠୁରିଆ ଥାଏ । ସେ ପ୍ରତିଦିନ ଜଙ୍ଗଲକୁ କାଠ ହାଣିବାକୁ ଯାଏ-। କାଠ ଆଣି ହାଟରେ ବିକ୍ରୀ କରେ । ସେଥିରୁ ଯାହା ପଇସା ମିଳେ ସେଥିରେ ସେ ଚଳେ ।

 

ଦିନେ ସେ ଜଙ୍ଗଲକୁ କାଠ ହାଣିବାକୁ ଯାଇଛି ଦେଖିଲା ଗୋଟିଏ ଗଛରେ ଅନେକ ଗୁଡ଼ାଏ ଚଢ଼େଇ ବସା ଅଛି । ସେଗୁଡ଼ିକ ଶୁଆଙ୍କ ବସା ।

 

ସେ ଭାବିଲା, ସତରେ ଆଜି ମୋର ବଡ଼ ଭାଗ୍ୟ । ଯଦି ମୁଁ ସବୁତକ ଶୁଆ ଧରିପାରନ୍ତି, ତେବେ ବହୁତ ପଇସା ପାଆନ୍ତି । ସେଥିରେ ଲୁଗାପଟା, ଘର ସଉଦା ସବୁ କିଣି ପାରନ୍ତି ।

 

ତା’ ପରଦିନ ସକାଳେ ସେ ପୁଣି ଜଙ୍ଗଲକୁ ଗଲା । ସାଙ୍ଗରେ ଚଢ଼େଇ ଧରା ଅଠା ନେଇଥାଏ । ସିଧା ଶୁଆ ଥିବା ଗଛ ପାଖକୁ ଗଲା । ଗଛ ସାରା ଅଠା ବୋଳି ଦେଲା । ଭାବିଲା କାଲି ସୁଦ୍ଧା ସବୁ ଶୁଆ ଧରା ହୋଇଯିବେ ।

 

ଦିନରେ ଶୁଆତକ ଖାଇବା ଜିନିଷ ଖୋଜିବାକୁ ଯାଇଥିଲେ । ସଞ୍ଜବେଳକୁ ସମସ୍ତେ ବସାକୁ ଫେରିଆସିଲେ । ଅଳ୍ପ ସମୟ ପରେ ଦେଖିଲେ ତାଙ୍କ ଦେହରେ ଅଠା ଲାଗିଯାଇଛି । ଆଉ ହଲଚଲ ହୋଇ ପାରୁ ନାହାଁନ୍ତି ।

 

ଗୋଟିଏ ଶୁଆ କହିଲା ‘‘କ’ଣ ହୋଇଛି ? ତମ ଦେହରେ ଅଠାଳିଆ ଜିନିଷ ଲାଗିନାହିଁ-?’’

 

ପାଖ ବସାରୁ ଶୁଆଟିଏ ଉତ୍ତର ଦେଲା– ‘‘ହଁ, ମୋ ଦେହରେ ବି ଲାଗିଯାଇଛି । ମୁଁ ମୋଟେ ହଲ୍‍ଚଲ୍ ହୋଇପାରୁନି ।’’

ଅନ୍ୟମାନେ କହିଲେ– ‘‘ହଁ, ଆମ ଦେହରେ ବି ଲାଗିଛି ।’’

ଶୁଆମାନଙ୍କ ସର୍ଦ୍ଦାର କହିଲା–

‘‘ଆମେ ମଣିଷ ପାଲରେ ପଡ଼ିଯାଇଚେ । ସେ ଆମକୁ ଧରିବାକୁ ଚାହୁଁଛି । ତେଣୁ ଆମ ବସାରେ ଚଢ଼େଇ ଅଠା ଲଗାଇ ଦେଇଛି । କିନ୍ତୁ ତମେମାନେ ବ୍ୟସ୍ତ ହୁଅନି । ଏବେ କ’ଣ କରିବାକୁ ହେବ କହୁଛି, ମନ ଦେଇ ସମସ୍ତେ ଶୁଣ ।

କାଲି ଲୋକଟି ଏଠିକି ଆସିବ । ସେ ଆସିଲେ ଆମେ ମଲାପରି ପଡ଼ି ରହିବା । କେହି ହଲ୍‍ଚଲ୍ ହେବାନି । ବୋବା ବୋବି ବି କେହି କରିବେ ନାହିଁ । ଆମେ ଅନେଶୋତ ଜଣ ଅଛେ । ଠିକ୍ ଅନେଶୋତ ଯାଏ ଗଣିବା, ତା’ପରେ ଉଡ଼ିଯିବା । ସମସ୍ତେ ଏକ ସଙ୍ଗେ ଉଡ଼ିଯିବା । ବୁଝିଲ ତ-?’’

ଶୁଆମାନେ ଉତ୍ତର ଦେଲେ– ‘‘ଭଲ କଥାଟିଏ କହିଛ । ଆମେ ସବୁ ବୁଝି ପାରୁଛୁ ।’’

ତା’ ଆରଦିନ ସକାଳେ କାଠୁରିଆ ପୁଣି ସେଇ ଗଛ ପାଖକୁ ଆସିଲା ମନରେ ତା’ର ଭାରି ଆନନ୍ଦ । ସତେ ଯେମିତି ସେ ସବୁ ଶୁଆଙ୍କୁ ଧରି ପାରିଛି ! ସେ ଲୁଚି ଲୁଚି ଗଛ ଉପରେ ଚଢ଼ିଲା ।

ଆରେ, ଏ କ’ଣ ? ସବୁ ଶୁଆ ମରି ପଡ଼ିଛନ୍ତି । ତାଙ୍କ ଦେହ ଟାଣ ହୋଇଗଲାଣି । କେହି ହଲ୍‍ଚଲ୍‍ ହେଉନାହାନ୍ତି ।

ସେ ହତାଶ ହୋଇଗଲା ।

ତା’ପରେ ବିରକ୍ତ ହୋଇ ଗୋଟିଏ ପରେ ଗୋଟିଏ ଚଢ଼େଇକୁ ତଳକୁ ପକାଇ ଦେଲା । ଶୁଆ ସର୍ଦ୍ଦାରର ବସା ସବା ଉପର ଡାଳରେ । ସେ ସେଠିକି ଯିବା ବେଳକୁ ତା’ ଛୁରୀଟି ତଳକୁ ଖସି ପଡ଼ିଲା ।

 

ଶୁଆମାନେ ତଳେ କ’ଣ ଗୋଟାଏ ଠକ୍ ହୋଇ ପଡ଼ିବାର ଶବ୍ଦ ଶୁଣିପାରିଲେ । ଭାବିଲେ ଲୋକଟି ତାଙ୍କ ସର୍ଦ୍ଦାରକୁ ତଳେ ପକାଇ ଦେଲାଣି । ଏହାଭାବି ସମସ୍ତେ ଏକାଠି ଆକାଶକୁ ଉଡ଼ିଗଲେ ।

 

କିନ୍ତୁ ଉପରକୁ ଯାଇ ଦେଖିଲେ ତାଙ୍କ ସର୍ଦ୍ଦାର ସେମାନଙ୍କ ସାଙ୍ଗରେ ନାହିଁ । ସେମାନଙ୍କର ମନ ଭାରି କଷ୍ଟ ହେଲା । ଶୁଆମାନେ ଉଡ଼ିଯିବାର ଦେଖି କାଠୁରିଆ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲା । ସେ ଭାବିଥିଲା ଶୁଆଗୁଡ଼ାକ ମରିଯାଇଛନ୍ତି । କିନ୍ତୁ ଏବେ ଜାଣିଲା ସେମାନେ ତାକୁ ଠକି ଦେଇଛନ୍ତି-

 

ସେ ମନେ ମନେ ଭାବିଲା– ହଉ ଏଥରକ ସିନା ଠକି ଦେଲେ । କିନ୍ତୁ ଏଣିକି ଆଉ ଠକି ପାରିବେନି । ସେ ଚାରିଆଡ଼େ ଚାହିଁଲା । ଦେଖିଲା ଗୋଟିଏ ଶୁଆ ତା’ ବସାରେ ଅଛି । ସେ ବସା ଭିତରୁ ଶୁଆକୁ ବାହାର କରି ଆଣିଲା । ଗୋଟିଏ ଶୁଆରେ ତାକୁ ସନ୍ତୁଷ୍ଟ ହେବାକୁ ପଡ଼ିବ ।

Image

ଶୁଆଟି ସତରେ କେଡ଼େ ସୁନ୍ଦର ହୋଇଛି ! ଭାବିଲା, ଏଇଟି ନିଶ୍ଚୟ ଶୁଆମାନଙ୍କ ରାଜା-

 

ସେ ଶୁଆ ସର୍ଦ୍ଦାରକୁ କହିଲା– ‘‘ଏବେ ମୁଁ ତତେ ଘରକୁ ନେଇଯିବି । ତୋ ମାଂସ ରାନ୍ଧି ମା’ ମତେ ଖାଇବାକୁ ଦେବ ।’’

 

ଶୁଆ ଭାରି ଡରିଗଲା । ଭାବିଲା, ସତରେ ମତେ ସେ ଶେଷ କରିଦେବ । କିନ୍ତୁ ଏବେ ମୁଁ ମରିବାକୁ ଚାହେଁ ନାହିଁ । ସେ ନିଜକୁ ମୁକୁଳାଇବା ପାଇଁ ବହୁତ ଚେଷ୍ଟା କଲା । କିନ୍ତୁ କିଛି ଫଳ ହେଲା ନାହିଁ ।

 

ଶେଷରେ ସେ କାଠୁରିଆକୁ କହିଲା– ‘‘ମତେ ଦୟାକରି ମାର ନାହିଁ । ମୋର ଯତ୍ନ ନିଅ । ତମେ ଗଦାଏ ଧନ ସମ୍ପତ୍ତି ପାଇବ । ସେଥିରେ ତମକୁ ବହୁତ ଆନନ୍ଦ ମିଳିବ ।’’

 

କାଠୁରିଆ କହିଲା ‘‘ସତରେ ?’’

 

‘‘ଶୁଆ କହିଲା’’– ତମକୁ ମିଛ କହି ଲାଭ କ’ଣ ?’’

 

କାଠୁରିଆ ତା’ କଥାକୁ ବିଶ୍ୱାସ କଲା । ସେ ଶୁଆକୁ ନେଇ ଗୋଟିଏ ସୁନ୍ଦର ପଞ୍ଜୁରୀ ଭିତରେ ରଖିଲା ।

 

ଶୁଆଟି ଏତେ ସୁନ୍ଦର ଯେ ଧୀରେ ଧୀରେ ରାଇଜସାରା ଲୋକେ ତା’ ବିଷୟ ଜାଣିଗଲେ-। ତାକୁ ଦେଖିବା ପାଇଁ ପ୍ରତିଦିନ ଶହ ଶହ ଲୋକ ଆସିଲେ ।

 

ଶୁଆଟି ମଧୁର ସ୍ୱରରେ ଗୀତ ଗାଏ । ଲୋକେ ତାକୁ ଦେଖିବାକୁ ଯିବାବେଳେ ଖାଇବା ଜିନିଷ ସାଙ୍ଗରେ ନେଇଯାଆନ୍ତି । ସେମାନେ ମଧ୍ୟ ଟଙ୍କା ପଇସା, ସୁନ୍ଦର ଲୁଗାପଟା ନେଇଥାନ୍ତି । ସେଗୁଡ଼ିକ ଖାଲି ଶୁଆପାଇଁ ନୁହେଁ, କାଠୁରିଆ ପାଇଁ । ଅଳ୍ପଦିନ ଭିତରେ କାଠୁରିଆ ଖୁବ୍ ଧନୀ ହୋଇଗଲା ।

 

ରାଜା ମଧ୍ୟ ଶୁଆ କଥା ଶୁଣିଲେ । ସେ କାଠୁରିଆ ଓ ଶୁଆକୁ ରାଜଉଆସିକୁ ଆଣିବା ପାଇଁ ହୁକୁମ ଦେଲେ ।

 

ହୁକୁମ ପାଇ କାଠୁରିଆ ସୁନ୍ଦର ପୋଷାକପତ୍ର ପିନ୍ଧି ରାଜଉଆସକୁ ଗଲା । ଗୋଟିଏ ସୁନ୍ଦର ପଞ୍ଜୁରୀରେ ଶୁଆକୁ ବି ସାଙ୍ଗରେ ନେଇଥାଏ ।

 

ରାଜା କାଠୁରିଆକୁ ଶୁଆ–ଗୀତ ପାଇଁ ହୁକୁମ ଦେଲେ । ଶୁଆ ମନ ମତାଣିଆ ସ୍ୱରରେ ଗୀତ ଗାଇଲା ତା’ ସ୍ୱର ଧୀରେ ଧୀରେ ଉପରକୁ ଉଠିଲା । ତା’ପରେ ଧୀରେ ଧୀରେ ତଳକୁ ଖସି ଆସିଲା । କେବେ କେବେ ତାହା ପବନ ପରି ଅସ୍ପଷ୍ଟ ଭାବରେ ଶୁଣାଗଲା । ପୁଣି ତାହା ବଂଶୀର ସ୍ୱରପରି ଟାଣ ହୋଇଗଲା ।

 

ଶୁଆର ଗୀତ ଶୁଣି ରାଜା ଭାରି ଖୁସି ହେଲେ । ସେ କାଠୁରିଆକୁ ପଚାରିଲେ, ସେ ବଢ଼େଇକୁ ବିକିକାକୁ ଚାହେଁ କି ନାହିଁ ।

 

ଶୁଆକୁ ବିକିବା ପାଇଁ କାଠୁରିଆର ଇଚ୍ଛା ନୁହେଁ ତା’ ମନ କଥା ଠଉରାଇ ଶୁଆ ଚୁପ୍ ଚୁପ୍ କହିଲା–

 

‘‘ମତେ ବିକିଦିଅ । ମତେ ବିକି ଦେଲେ ତମର କିଛି କ୍ଷତି ହେବ ନାହିଁ । ବରଂ ମୋ ବଦଳରେ ତମେ ବହୁତ ଧନ ସମ୍ପତ୍ତି ପାଇବ ।’’

Image

ତେଣୁ କାଠୁରିଆ ଶୁଆକୁ ବିକିବା ପାଇଁ ରାଜି ହୋଇଗଲା । ରାଜା ତାକୁ ବହୁତ ଟଙ୍କା ପଇସା ଓ ସୁନ୍ଦର ଉପହାରମାନ ଦେଲେ । କାଠୁରିଆ ସେତକ ଧରି ଗାଁକୁ ଫେରିଗଲା ।

 

ରାଜ ଉଆସରେ ଶୁଆ ବେଶ୍ ଖୁସିରେ ରହିଲା । ଏବେ ତା’ ପଞ୍ଜୁରୀଟି ସୁନା । ଦାମିକା ସୁଆଦିଆ ଖାଇବା ଜିନିଷ ତାକୁ ଖାଇବାକୁ ଦିଆହୁଏ । ସମସ୍ତେ ତା’ ପ୍ରତି ଭଲ ବ୍ୟବହାର କରନ୍ତି ।

 

ତଥାପି ଶୁଆକୁ କିଛି ଭଲ ଲାଗୁ ନଥାଏ । ସେ ତା’ ଜାତି ଭାଇଙ୍କ ମେଳରେ ଜଙ୍ଗଲରେ ରହିବାକୁ ଚାହୁଁଥାଏ, କେମିତି ପଞ୍ଜୁରୀରୁ ଖସି ଚାଲିଯାଇ ହେବ ସେଇ କଥା ଭାବୁଥାଏ ।

 

ଦିନେ ସେ ମଲାପରି ପଞ୍ଜୁରୀ ଭିତରେ ପଡ଼ି ରହିଲା ଓ ମୋଟେ ହଲ୍‍ଚଲ୍‍ ହେଲା ନାହିଁ । ଡେଣା ବି ହଲାଇଲା ନାହିଁ ।

 

ରାଜାଙ୍କ ମନରେ ଭାରି ଦୁଃଖ । ରାଜଉଆସ ସାରା ଦୁଃଖ ଛାଇଗଲା ।

 

ରାଜା କହିଲେ ‘‘ଆଉ ତା’ ମଧୁର ଗୀତ ଶୁଣି ହେବନି ।’’

 

ତା’ପରେ ସେ ଶୁଆକୁ ଆଡ଼ମ୍ବର ସହିତ ସମାଧି ଦେବାପାଇଁ ହୁକୁମ ଦେଲେ । ତାଙ୍କ ଫୁଲ ବଗିଚାର ଗୋଟିଏ କଣରେ ତାକୁ ସମାଧି ଦିଆହେବ ବୋଲି ସ୍ଥିର ହେଲା ।

 

ରାଜାଙ୍କ ହୁକୁମରେ ତଳେ ଗୋଟିଏ ରେଶମୀ କନା ବିଛା ହେଲା । ରାଜା ଖୁବ୍ ଧୀର ଭାବରେ ଶୁଆକୁ ତା’ ଉପରେ ଶୁଆଇ ଦେଲେ । ସେତେବେଳେ ସମାଧି ଖୋଳା ହେଉଥାଏ । ହଠାତ୍ ଶୁଆଟି ଡେଣା ମେଲାଇ ଆକାଶକୁ ଉଡ଼ି ଉଡ଼ି ଚାଲିଗଲା ।

 

ଚଢ଼େଇଟି ବଞ୍ଚିଥିବାର ଦେଖି ରାଜା ଖୁବ୍ ଖୁସି ହେଲେ । ଶୁଆ ବି ତା’ ଜାତିଭାଇଙ୍କ ସଙ୍ଗେ ମିଶିବା ପାଇଁ ଖୁସି ହୋଇ ଉଡ଼ି ଉଡ଼ି ଚାଲିଗଲା ।

Image

 

ବେଙ୍ଗରାଣୀର କୁହୁକ

 

ଗୋଟିଏ ରାଇଜରେ ଜଣେ ରାଜା ଥାଆନ୍ତି । ତାଙ୍କର ତିନି ପୁଅ । ପୁଅମାନେ କ୍ରମେ କ୍ରମେ ବଡ଼ ହେଲେ । ସେମାନେ ସୁନ୍ଦର ଓ ବଳୁଆ ହୋଇଗଲେ ।

 

କ୍ରମେ ସେମାନଙ୍କର ବିବାହ ବୟସ ହେଲା । ରାଜା ରାଣୀ ଉଭୟେ ବସି ବିଚାର କଲେ । ତା’ପରେ ରାଜା ପୁଅମାନଙ୍କୁ ଡାକି କହିଲେ ।

 

‘‘ପୁଅମାନେ ! ତମମାନଙ୍କର ବିବାହ କରିବାର ବୟସ ହେଲାଣି । ଏଥର ନିଜପାଇଁ କନିଆ ବାଛ ।’’

 

ପୁଅମାନେ କହିଲେ–‘‘ହଁ ବାପା ।’’

 

ରାଜା କହିଲେ– ‘‘ତମମାନଙ୍କ ରୂପା ଧନୁରେ ତମ୍ୱା ଶର ମାର । ଖୁବ୍ ଜୋରରେ ଶର ମାରିବ ଯେମିତିକି ତାହା ବହୁତ ଦୂରରେ ଯାଇ ପଡ଼ିବ । ଯେଉଁ ରାଇଜରେ ଶର ଖସି ପଡ଼ିବ ତମେମାନେ ସେଇଠି ନିଜ ନିଜ କନିଆ ପାଇବ ।’’

 

ପୁଅମାନେ ବାହାରକୁ ଗଲେ । ଧନୁ ଟାଣି ଶର ମାରିଲେ । ପ୍ରଥମେ ବଡ଼ପୁଅ ଶର ମାରିଲା । ତା’ ଶର ଟଙ୍ଗ କରି ଆକାଶକୁ ଉଡ଼ିଗଲା । ତା’ପରେ ଗୋଟିଏ ଦୂର ଦେଶରେ ରାଜାଙ୍କ ବଗିଚାରେ ଖସି ପଡ଼ିଲା ।

 

ଠିକ୍‍ ସେତିକିବେଳେ ରାଜଜେମା ବଗିଚାରେ ବୁଲୁଥାନ୍ତି । ସେ ଶରକୁ ଦେଖି ଖୁସି ହୋଇଗଲେ । ତା’ପରେ ତାକୁ ନେଇ ବାପାଙ୍କୁ ଦେଖାଇଲେ । କହିଲେ–

 

‘‘ବାପା ଦେଖ– ଏଇଟିକୁ ମୁଁ ବଗିଚାରୁ ପାଇଲି । ଖୁବ୍ ସୁନ୍ଦର ହୋଇନି ?’’

 

ରାଜା କହିଲେ– ‘‘ତାକୁ ତୁ କାହାକୁ ଦେ’ନା ଝିଅ । ପାଖରେ ରଖ । ଯାହାକୁ ବାହା ହେବୁ ତାକୁ ଦେବୁ ।

 

କିଛିଦିନ ବିତିଗଲା । ବଡ଼ ରାଜାପୁଅ ସେ ବଗିଚା ପାଖରେ ଯାଇ ପହଞ୍ଚିଲେ । ସେତେବେଳେ ବଗିଚାରେ ରାଜଜେମା ବୁଲୁଥାନ୍ତି । ହାତରେ ଶର । ରାଜାପୁଅ ତାଙ୍କୁ ଶରଟି ଫେରାଇ ଦେବାପାଇଁ କହିଲେ ।

 

ରାଜଜେମା କହିଲେ– ‘‘ଯିଏ ମତେ ବାହାହେବ ମୁଁ ତାଙ୍କୁ ଶରଟି ଦେବି ।’’

 

ରାଜାପୁଅ କହିଲେ– ‘‘ମୁଁ ତ ସେଇଥିପାଇଁ ଆସିଛି ।’’

 

ବାହାଘର ଠିକ୍ ହେଲା । ତା’ପରେ ରାଜାପୁଅ ଘୋଡ଼ା ଚଢ଼ି ଚାଲିଗଲେ । ମଝିଆ ଭାଇ ତା’ ଶର ମାଇଲା । ଶରଟି ନୀଳ ଜଙ୍ଗଲ ଉପର ଦେଇ ଧଳା ମେଘ ତଳେ ତଳେ ଉଡ଼ିଗଲା । ଯାଇ ପଡ଼ିଲା ଜଣେ ରାଜାଙ୍କ ଅଗଣାରେ । ରାଜାଝିଅ ସେତେବେଳେ ବାରଣ୍ଡାରେ ବସିଥାନ୍ତି । ସେ ସଙ୍ଗେ ସଙ୍ଗେ ଧାଇଁ ଆସି ଶରଟିକୁ ତଳୁ ଗୋଟେଇ ନେଲେ । ତା’ପରେ ବାପାଙ୍କ ପାଖକୁ ଯାଇ କହିଲେ ।

 

‘‘ଦେଖିଲ ବାପା– ମୁଁ କେମିତି ସୁନ୍ଦରିଆ ଶରଟିଏ ପାଇଛି ।’’

 

ରାଜା କହିଲେ– ‘‘ତାକୁ କାହାକୁ ଦେ’ନା । ତତେ ଯିଏ ବାହାହେବ ତାଙ୍କୁ ଦେବୁ ।’’

 

କିଛିଦିନ ବିତିଗଲା । ମଝିଆ ଭାଇ ନିଜ ଶରପାଇଁ ଦାବି କରିବାକୁ ଆସିଲେ । ରାଜା ଝିଅ ଅନ୍ୟ ରାଜାଝିଅ ପରି କହିଲେ–

 

‘‘ଯିଏ ମତେ ବାହାହେବ ମୁଁ ତାଙ୍କୁ ଶରଟି ଦେବି ।’’

 

ରାଜାପୁଅ କହିଲେ– ‘‘ମୁଁ ତ ସେଇଥିପାଇଁ ଏଠିକି ଆସିଛି । ତମେ ମତେ ବାହାହେବ ତ-?’’

 

ବାହାଘର ଠିକ୍ ହେଲା । ମଝି ରାଜାପୁଅ ଘୋଡ଼ା ଚଢ଼ି ଚାଲିଗଲେ ।

 

ଏବେ ସାନ ରାଜାପୁଅର ପାଳି । ସେ ଧନୁରେ ଶର ଯୋଖି ମାରିଦେଲା । ଶରଟି ଟ୍ୱାଙ୍ଗ୍‍ ଶବ୍ଦ କରି ନୀଳ ଆକାଶକୁ ଉଡ଼ିଗଲା । ବେଶି ଉପରକୁ ନୁହେଁ ବା ବେଶି ତଳକୁ ନୁହେଁ– ଠିକ୍ ଛାତ ଉଚ୍ଚ ଯାଏ ଉଡ଼ିଗଲା । ତା’ପରେ ତାହା ବେଶି ଦୂର ନୁହେଁ ବା ବେଶି ନିକଟ ନୁହେଁ– ସିଧା ଯାଇ ଗୋଟିଏ ଗାଡ଼ିଆ ଉପରେ ଖସି ପଡ଼ିଲା । ଖଣ୍ଡେ ପଥର ଉପରେ ବେଙ୍ଗଟିଏ ବସିଥିଲା ସେ ଶରଟିକୁ ଗୋଟେଇ ନେଲା ।

 

କିଛି ସମୟ ପରେ ସାନ ରାଜପୁଅ ଆସି ସେଠି ପହଞ୍ଚିଲେ ।

 

ସେ କହିଲେ– ‘‘ମୋ ଶରଟି ମତେ ଦେଇଦେ ।’’

Image

ବେଙ୍ଗ କହିଲା– ‘‘ଯିଏ ମତେ ବାହା ହେବ ମୁଁ ତାଙ୍କୁ ଶରଟି ଦେବି ।’’

 

ରାଜା ପୁଅ ମନେ ମନେ ଭାବିଲା– ମୁଁ କେମିତି ବେଙ୍ଗଟାକୁ ବାହାହେବି ?

 

ସେ ଗାଡ଼ିଆ ପାଖରେ କିଛି ସମୟ ଚୁପ୍‍ଚାପ ଠିଆ ହୋଇ ରହିଲେ । ମନରେ ତାଙ୍କର ଭାରି ଦୁଃଖ । ଆଖିରୁ ତାଙ୍କର ଧାର ଧାର ହୋଇ ଲୁହ ପଡ଼ିଲା । ତା’ପରେ ଘରକୁ ଫେରିଗଲେ ।

 

ଏବେ ତିନି ରାଜାପୁଅ ବାପାଙ୍କ ପାଖକୁ ଯିବା କଥା । ସେମାନେ କେଉଁ କେଉଁ କନିଆକୁ ପାଇଛନ୍ତି ସେ କଥା ବି କହିବେ । ବଡ଼ ଓ ମଝିଆ ରାଜାପୁଅ ଖୁସିରେ ଫାଟିପଡ଼ୁଥା’ନ୍ତି । କିନ୍ତୁ ସାନ ରାଜାପୁଅ ତା’ ଆଖିର ଲୁହ ଲୁଚାଇ ପାରୁନଥାଏ ।

 

ରାଜା ପୁଅମାନଙ୍କୁ କହିଲେ–

 

‘‘କହିଲ ଦେଖି ତମେ କେଉଁ କେଉଁ କନ୍ୟାମାନଙ୍କୁ ପାଇଛ ?’’ ବଡ଼ ରାଜାପୁଅ କହିଲା– ‘‘ମୁଁ ଜଣେ ରାଜାଙ୍କ ଝିଅକୁ ପାଇଛି ।’’ ମଝି ରାଜାପୁଅ କହିଲା– ‘‘ମୁଁ ବି ଜଣେ ରାଜାଝିଅ ପାଇଛି-।’’

 

କିନ୍ତୁ ସାନ ରାଜାପୁଅ ଖାଲି ଚୁପ୍‍ଚାପ ଠିଆ ହୋଇ ରହିଲା । ପଦେ ହେଲେ କଥା କହିଲା ନାହିଁ । ଦୁଇ ଆଖିରୁ ତା’ର ଲୁହ ପଡ଼ୁଥାଏ ।

 

ରାଜା ପଚାରିଲେ– ‘‘ତୁ କାନ୍ଦୁଚୁ କାହିଁକି ?’’

 

ସାନ ରାଜାପୁଅ କହିଲା– ‘‘କ’ଣ ଆଉ କରିବି ବାପା ? ମୋ ଭାଇମାନେ ଉପଯୁକ୍ତ କନିଆ ଖୋଜି ପାଇଛନ୍ତି । କିନ୍ତୁ ମୋ ଶରକୁ ଗୋଟିଏ ବେଙ୍ଗ ପାଇଲା । ବେଙ୍ଗ କ’ଣ ମୋ ସରି ହେବ ?’’

 

ରାଜା କହିଲେ– ‘‘ଯାହାହେଉ ତତେ ତାକୁ ବାହା ହେବାକୁ ପଡ଼ିବ । ଏହା ତୋର ଭାଗ୍ୟ-।’’

 

ଅଳ୍ପଦିନ ପରେ ବିଭାଘର ହେଲା । ବଡ଼ ରାଜାପୁଅ ରାଜାଙ୍କ ଝିଅକୁ ବାହା ହେଲା । ସେମିତି ମଝିଆ ରାଜାପୁଅ ଅନ୍ୟ ରାଜାଝିଅକୁ ବାହା ହେଲା । ସାନ ରାଜାପୁଅ ବେଙ୍ଗକୁ ବାହା ହେଲା । ସେମାନେ ନିଜ ନିଜ ଘରେ ରହିବାକୁ ଲାଗିଲେ ।

 

କେଉଁ ବୋହୂ ଭଲ ବୁଣୁଛି ଜାଣିବା ପାଇଁ ରାଜାଙ୍କର ଇଚ୍ଛା ହେଲା । ସେ ପୁଅମାନଙ୍କୁ କହିଲେ–

 

‘‘କାଲି ସକାଳ ସୁଦ୍ଧା ପ୍ରତ୍ୟେକ ବୋହୂ ଗୋଟିଏ ଝାଡ଼ଣ ବୁଣି ମତେ ଦେବେ । କିଏ ଭଲ ବୁଣିଛି ମୁଁ ଦେଖିବାକୁ ଚାହେଁ ।’’

 

ସାନ ରାଜାପୁଅ କାନ୍ଦି କାନ୍ଦି ଘରକୁ ଫେରିଗଲା । ବେଙ୍ଗ ଘର କୋଣରୁ ବାହାରି ଡେଇଁ ଡେଇଁ ଦ୍ୱାର ପାଖକୁ ଗଲା ।

 

ସେ ପଚାରିଲା– ‘‘ତମେ କାହିଁକି କାନ୍ଦୁଛ ରାଜାପୁଅ ?’’

 

ରାଜାପୁଅ କହିଲା– ‘‘କ’ଣ ଆଉ କରିବି ? ବାପା ପ୍ରତ୍ୟେକ ବୋହୂକୁ କାଲି ସକାଳ ସୁଦ୍ଧା ଗୋଟିଏ ଗୋଟିଏ ଝାଡ଼ଣ ବୁଣି ଦେବାକୁ କହିଛନ୍ତି ।’’

 

ବେଙ୍ଗ କହିଲା– ‘‘କାନ୍ଦ ନାହିଁ, ଶୋଇବାକୁ ଯାଅ ସବୁ ଠିକ୍ ହୋଇଯିବ ।’’

 

ସାନ ରାଜାପୁଅ ଶୋଇବାକୁ ଗଲା । ଖୁବ୍ ଶୀଘ୍ର ତାକୁ ନିଦ ଲାଗିଗଲା । ବେଙ୍ଗ ତା’ ବେଙ୍ଗ ଚମଡ଼ା କାଢ଼ି ତଳେ ପକାଇଦେଲା । ତା’ପରେ ଅଗଣାକୁ ଯାଇ ସୁସୁରୀ ମାରିଲା ।

 

ସଙ୍ଗେ ସଙ୍ଗେ ଶୂନ୍ୟରୁ କେମିତି କେତେ ଜଣ ଝିଅ ଆସି ଉଭା ହୋଇଗଲେ । ସେମାନେ ଗୋଟିଏ ସୁନ୍ଦର ଝାଡ଼ଣ ବୁଣିଦେଲେ । ଚାରିପାଖଯାକ ସୁନ୍ଦର ସୂଚୀକାମ କରିଦେଲେ । ତାକୁ ବେଙ୍ଗବୋହୂକୁ ଦେଇଦେଲେ । ବେଙ୍ଗବୋହୂ ତାକୁ ଆଣି ରାଜାପୁଅ ପାଖରେ ଥୋଇ ଦେଲା-। ତା’ପରେ ବେଙ୍ଗ ଚମଡ଼ା ପିନ୍ଧି ପୁଣି ବେଙ୍ଗ ହୋଇଗଲା ।

 

ସାନ ରାଜାପୁଅ ନିଦରୁ ଉଠିଲା । ଦେଖିଲା ସୁନ୍ଦର ଝାଡ଼ଣଟିଏ ତା’ ପାଖରେ ଥୁଆ ହୋଇଛି । ସେ ତା’ ଜୀବନରେ ଏମିତି ସୁନ୍ଦର ଝାଡ଼ଣଟିଏ ଦେଖି ନଥିଲା । ସେ ଖୁବ୍‍ ଖୁସି ହୋଇଗଲା-। ତା’ପରେ ସେଇ ଝାଡ଼ଣକୁ ରାଜାଙ୍କ ପାଖକୁ ନେଇଗଲା ।

 

ରାଜା ବି ଝାଡ଼ଣକୁ ଦେଖି ଖୁବ୍ ଖୁସି ହୋଇଗଲେ । ତାକୁ ନିଜ ଶୋଇବା ଘରେ ଟାଙ୍ଗି ଦେଲେ । ଅନ୍ୟ ଦୁଇ ବୋହୂଙ୍କ ଝାଡ଼ଣ ଦୁଇଟି ଖୁବ୍‍ ସାଧାସିଧା । ଦେଖିବାକୁ ବି ସେମିତି ସୁନ୍ଦର ନୁହେଁ । ତେଣୁ ସେ ତାକୁ ରୋଷେଇଶାଳକୁ ପଠାଇ ଦେଲେ ।

 

କିଛିଦିନ ବିତିଗଲା । ରାଜା ବୋହୂମାନଙ୍କ ଭିତରେ କିଏ ଭଲ ରନ୍ଧାବଢ଼ା ଜାଣେ ତାହା ଜାଣିବାକୁ ଚାହିଁଲେ ।

 

ଏ କଥା ଶୁଣି ରାଜାପୁଅ ଘରକୁ ଚାଲିଗଲା । ତା’ ସ୍ତ୍ରୀ ବେଙ୍ଗ ଘର କୋଣରୁ ଡେଇଁ ଡେଇଁ ଆସିଲା । ପଚାରିଲା–

 

‘‘କେଁ କଟର, କଟର କେଁ । ତମେ କାହିଁକି କାନ୍ଦୁଚ ରାଜାପୁଅ ?’’

 

ସାନ ରାଜାପୁଅ କହିଲା– ‘‘ନ କାନ୍ଦି ଆଉ କ’ଣ କରିବି । ବାପା ତାଙ୍କ ତିନି ବୋହୂଙ୍କୁ ପିଠାପଣା କରିବା ପାଇଁ କହିଛନ୍ତି । ମୁଁ ଜାଣେ ତମେ କିଛି କରିପାରିବ ନାହିଁ ।’’

 

ବେଙ୍ଗ କହିଲା– ‘‘ତମେ କାନ୍ଦନି । ଶୋଇବ ଯାଅ ତମ ବାପା ପିଠା ଠିକଣା ସମୟରେ ପାଇବେ ।’’

 

ସାନ ରାଜାପୁଅ ଶୋଇବାକୁ ଗଲା । ଅଳ୍ପ ସମୟପରେ ଗହନ ନିଦରେ ଶୋଇ ପଡ଼ିଲା-

 

ଅନ୍ୟ ଦୁଇ ବୋହୂ ବେଙ୍ଗ ବୋହୂର ଝରକା ତଳେ ଯାଇ ଠିଆ ହେଲେ । ଦେଖିବେ ବେଙ୍ଗ କେମିତି ପିଠାପଣା ତିଆରି କରୁଛି । ଏତିକିବେଳେ ବେଙ୍ଗ ପିଠା ତିଆରିକରି ଜଳନ୍ତା ଚୁଲିରେ ପକାଇଦେଲା ।

 

ଦୁଇ ବୋହୂ ନିଜ ନିଜ ଘରକୁ ଗଲେ । ପିଠା ତିଆରି କଲେ । ତା’ପରେ ଚୁଲି ଜାଳି ତା’ ଭିତରକୁ ଗୋଟିକ ପରେ ଗୋଟିଏ ପିଠା ପକାଇଦେଲେ । କିନ୍ତୁ ସେମାନଙ୍କ ପିଠା ପୋଡ଼ିଯାଇ ନଷ୍ଟ ହୋଇଗଲା । ସେଗୁଡ଼ାକ କୁକୁର ପାଇଁ ବି ଯୋଗ୍ୟ ନୁହେଁ ।

 

ଏଣେ ଦୁଇ ବୋହୂ ଚାଲିଯିବା ପରେ ବେଙ୍ଗ ଚମଡ଼ା କାଢ଼ି ତଳକୁ ପକାଇଦେଲା । ତା’ପରେ ଅଗଣାକୁ ଯାଇ ସୁସୁରୀ ମାରିଲା । ସଙ୍ଗେ ସଙ୍ଗେ ଶୂନ୍ୟରୁ କେତେଜଣ ଝିଅ ଚାଲିଆସିଲେ । ସକାଳ ହେବା ଆଗରୁ ପିଠାପଣା କରିବା ପାଇଁ ବେଙ୍ଗବୋହୂ ବରାଦ ଦେଲା । ସେମାନେ ବରାଦ ମୁତାବକ ପିଠାପଣା ତିଆରି କରିଦେଲେ । ପିଠା ସବୁ ମହ ମହ ହୋଇ ବାସୁଥାଏ । ଦେଖିଲେ ପାଟିରୁ ଲାଳ ବୋହିପଡ଼ିବ । ସେ ପିଠାତକ ରାଜାପୁଅ ପାଖରେ ରଖିଦେଲା । ତା’ପରେ ବେଙ୍ଗ ଚମଡ଼ା ପିନ୍ଧି ପୁଣି ବେଙ୍ଗ ହୋଇଗଲା ।

 

ନିଦରୁ ଉଠି ସାନ ରାଜାପୁଅ ପିଠାତକ ଦେଖି ଖୁସି ହୋଇଗଲା । ସଙ୍ଗେ ସଙ୍ଗେ ସେ ପିଠାତକ ରାଜାଙ୍କ ପାଖକୁ ନେଇଗଲା । ରାଜା ସଙ୍ଗେ ସଙ୍ଗେ ତାହା ଖାଇବାକୁ ବସିଗଲେ । ଅନ୍ୟ ଦୁଇବୋହୂ ତିଆରି କରିଥିବା ପିଠାତକ କୁକୁରକୁ ଦେଇ ଦେଲେ ।

 

କିଛିଦିନ ବିତିଗଲା । ରାଜା ସମସ୍ତଙ୍କ ସଙ୍ଗେ ଏକାଠି ବସି ଖାଇବା ପାଇଁ ଠିକ୍ କଲେ । ବୋହୂମାନଙ୍କୁ ସଙ୍ଗରେ ଧରି ଆସିବାକୁ ପୁଅମାନଙ୍କୁ ହୁକୁମ ଦେଲେ ।

 

ଏହା ଶୁଣି ବଡ଼ ଦୁଇ ପୁଅ ଖୁବ୍ ଖୁସି ହୋଇଗଲେ । ସାନ ରାଜାପୁଅ ମୁଣ୍ଡ ତଳକୁ କରିଦେଲା । ତା’ପରେ କାନ୍ଦି କାନ୍ଦି ଘରକୁ ଫେରିଆସିଲା ।

 

ବେଙ୍ଗ ଡେଇଁ ଡେଇଁ ତା’ ପାଖକୁ ଆସିଲା ।

 

ସେ ପଚାରିଲା– ‘‘କ’ଣ ହେଲା ? ପୁଣି କାନ୍ଦୁଛ କାହିଁକି ?’’

 

ସାନ ରାଜାପୁଅ କହିଲା– ‘‘କ’ଣ କରିବି ? ବାପା ସ୍ତ୍ରୀମାନଙ୍କୁ ସାଙ୍ଗରେ ଧରି ଖାଇବା ପାଇଁ ଯିବାକୁ କହିଛନ୍ତି । ମୁଁ କେମିତି ତମକୁ ନେଇ ତାଙ୍କ ପାଖକୁ ଯିବି ?’’

 

ସେ କହିଲା– ‘‘କାନ୍ଦ ନାହିଁ । ଶୋଇବାକୁ ଯାଅ । ଯାହା ହେଲେ ଗୋଟାଏ ଉପାୟ ଠିକ୍ କରିବା ।’’

 

ରାଜାପୁଅ ଶୋଇବାକୁ ଗଲା– ଖୁବ୍ ଶୀଘ୍ର ତାକୁ ନିଦ ହୋଇଗଲା ।

 

ଭୋଜିଦିନ ସାନ ରାଜାପୁଅର ପୁଣି ମନ ଦୁଃଖ ହେଲା ।

 

ବେଙ୍ଗ କହିଲା– ‘‘ତମେ କାହିଁକି ଦୁଃଖ କରୁଛ ? ତମେ ବାପାଙ୍କ ଭୋଜିକୁ ଏକା ଯାଅ-। ମୁଁ ପରେ ସେଠିକି ଯିବି । ଯେତେବେଳେ ବର୍ଷା ହେବ, ସେତେବେଳେ ଜାଣିବ ମୁଁ ବର୍ଷା ପାଣିରେ ମୁହଁ ଧୋଉଛି । ଯେତେବେଳେ ବିଜୁଳି ଚମକିବ, ସେତେବେଳେ ଜାଣିବ ମୁଁ ବେଶଭୂଷା ହେଉଛି । ଯେତେବେଳେ ବଜ୍ର ପଡ଼ିବ ସେତେବେଳେ ଜାଣିବ ମୁଁ ତମମାନଙ୍କ ପାଖକୁ ଯାଉଛି ।’’

 

ସାନ ରାଜାପୁଅ ଲୁଗାପଟା ପିନ୍ଧି ତା’ ଘୋଡ଼ାଗାଡ଼ି ଚଢ଼ି ରାଜଉଆସ ଆଡ଼େ ଗଲା । ସେ ଉଆସ ଭିତରକୁ ଯାଇ ଚାରିପାଖକୁ ଚାହିଁଲା । ଦେଖିଲା ବଡ଼ଭାଇ, ଭାଉଜମାନେ ଆସି ଯାଇଛନ୍ତି । ଭାଉଜମାନେ ଚକ୍ ଚକ୍ ରେଶମୀ ଲୁଗାପଟା ପିନ୍ଧିଛନ୍ତି । ଦାମିକା ପଥରବସା ସୁନା ଗହଣାପତ୍ର ପିନ୍ଧିଛନ୍ତି ।

 

ଭାଇମାନେ ସାନ ଭାଇକୁ ଦେଖି ଥଟ୍ଟା କଲେ–

 

‘‘ତୁ ଏକୁଟିଆ ଆସିଛୁ ଯେ ! ତୋ ବେଙ୍ଗ– ସ୍ତ୍ରୀ କୁଆଡ଼େ ଗଲା ?’’

 

ସାନ ରାଜାପୁଅ କହିଲା– ‘‘ସେ ପରେ ଆସିବ ।’’

 

ସେତିକିବେଳେ ମୂଷଳ ଧାରାରେ ବର୍ଷା ଆରମ୍ଭ ହୋଇଗଲା । ସେ କହିଲା–

 

‘‘ମୋ ସ୍ତ୍ରୀ ଏବେ ବର୍ଷା ପାଣିରେ ମୁହଁ ଧୋଉଥିବ ।’’

 

ଭାଇମାନେ ହୋ ହୋ ହୋଇ ହସି ଉଠିଲେ । କହିଲେ–

 

‘‘ତୁ ପାଗଳ ହୋଇଯାଇ ନାହୁଁ ତ ?’’

 

ବିଜୁଳି ମାରିଲା । ସାନ ରାଜାପୁଅ କହିଲା–

 

‘‘ମୋ ସ୍ତ୍ରୀ ଏବେ ବେଶଭୂଷା ହେଉଥିବ ।’’

 

ତା’ କଥା ଶୁଣି ଭାଇମାନେ ଚମକି ପଡ଼ିଲେ । ଭାବିଲେ ସେ ନିଶ୍ଚୟ ପାଗଳ ହୋଇଗଲାଣି । ନ ହେଲେ ଏମିତି କାହିଁକି କହୁଥାନ୍ତା ?

 

ହଠାତ୍ ବଜ୍ର ପଡ଼ିଲା– ଏତେ ଜୋରରେ ବଜ୍ର ପଡ଼ିଲା । ଯେ ରାଜଉଆସ ଥରି ଉଠିଲା-

 

ସାନ ରାଜାପୁଅ କହିଲା– ‘‘ଏବେ ମୋ ସ୍ତ୍ରୀ ଆସିବ ।’’

 

Image

 

ଚାହୁଁ ଚାହୁଁ ଘୋଡ଼ାଗାଡ଼ିଟିଏ ପହଞ୍ଚିଲା । ଗାଡ଼ି ଭିତରୁ ସାନ ରାଜାପୁଅର ସ୍ତ୍ରୀ ବାହାରି ଆସିଲା । ସେ ଦେଖିବାକୁ ଏତେ ସୁନ୍ଦର ଯେ ସେଠି ଯେତକ ଥିଲେ ସମସ୍ତେ ତାଜୁବ ହୋଇଗଲେ-। କାହା ପାଟିରୁ ପଦେ ହେଲେ କଥା ବାହାରିଲା ନାହିଁ ।

 

ଭୋଜି ଆରମ୍ଭ ହେଲା । ପ୍ରତ୍ୟେକ ନିଜ ନିଜ ଜାଗାରେ ବସିଲେ । ରାଜାରାଣୀ ସାନବୋହୂ ଆଡ଼େ ଚାହିଁଲେ । ଦୁଇ ବଡ଼ ଭାଇ ବି ତା’ ଆଡ଼େ ଚାହିଁଲେ । ସେ ଏତେ ସୁନ୍ଦର ଯେ ସେ କଥା ତାଙ୍କର ବିଶ୍ୱାସ ହେଲା ନାହିଁ । ଦୁଇ ଭାଉଜ ଏକ ଲୟରେ ତା’ ଆଡ଼େ ଚାହିଁଥାନ୍ତି ।

 

ଖିଆପିଆ ସରିଲା । ସମସ୍ତେ ଅଗଣାକୁ ଗଲେ । ଗୀତ ନାଚ ଆରମ୍ଭ ହେଲା । ସାନ ରାଜାପୁଅ ନିଜ ସ୍ତ୍ରୀ ଆଡ଼େ ଚାହିଁଥାଏ । ସେ ଭାବୁଥାଏ ସାମାନ୍ୟ ବେଙ୍ଗଟିଏ କେମିତି ଏତେ ସୁନ୍ଦର ସ୍ତ୍ରୀଟିଏ ହୋଇପାରିଲା ।

 

ସେ ବାହାରକୁ ଆସି ଘୋଡ଼ାରେ ବସି ନିଜ ଘରକୁ ଚାଲିଲା । ତା’ ସ୍ତ୍ରୀ କେମିତି ବେଙ୍ଗରୁ ମଣିଷ ହେଲା, ସେ ରହସ୍ୟ ଜାଣିବ । ଘରେ ପହଞ୍ଚି ସ୍ତ୍ରୀର କୋଠରୀକୁ ଗଲା । ଦେଖିଲା ବେଙ୍ଗ ଚମଡ଼ାଟିଏ ପଡ଼ିଛି । ଘର ଭିତରୁ ଆଉ ସେମିତି କିଛି ଜିନିଷ ପାଇଲା ନାହିଁ । ସେ ବେଙ୍ଗ ଚମଡ଼ାକୁ ଜଳନ୍ତା ଚୁଲୀରେ ପକାଇଦେଲା । ସଙ୍ଗେ ସଙ୍ଗେ ତାହା ପୋଡ଼ି ପାଉଁଶ ହୋଇଗଲା । ତା’ପରେ ସେ ପୁଣି ଉଆସକୁ ଫେରିଗଲା ।

 

ଭୋଜିଭାତ, ନାଚଗୀତ ରାତିସାରା ଚାଲିଲା । ଭୋର ବେଳେ ଅତିଥିମାନେ ଫେରିଗଲେ । ସାନ ରାଜାପୁଅ ଓ ତା’ ସ୍ତ୍ରୀ ଘରକୁ ଫେରି ଆସିଲେ । ତା’ ସ୍ତ୍ରୀ ନିଜ କୋଠରୀକୁ ଗଲା । ଘରେ ତା’ ବେଙ୍ଗ ଚମଡ଼ାକୁ ଖୋଜିଲା । କିନ୍ତୁ ଖୋଜି ଖୋଜି ପାଇଲାନି । ତା’ପରେ ସାନ ରାଜାପୁଅକୁ ଚମଡ଼ା କଥା ପଚାରିଲା ।

 

ସେ ପଚାରିଲା– ‘‘ମୋ ବେଙ୍ଗ ଚମଡ଼ାକୁ ଦେଖିଛ ?’’

 

ସାନ ରାଜାପୁଅ କହିଲା– ‘‘ମୁଁ ତାକୁ ପୋଡ଼ି ଦେଇଛି ।’’

 

ସେ କହିଲା– ‘‘ତମେ କ’ଣ କଲ ? ତମେ ଯଦି ତାକୁ ଛୁଇଁ ନଥାନ୍ତ, ମୁଁ ସବୁଦିନ ପାଇଁ ତମର ହୋଇଥାନ୍ତି । କିନ୍ତୁ ଏବେ ମୁଁ ଆଉ ଏଠି ରହିପାରିବି ନାହିଁ । ଆଉ ଆମର ଦେଖା ହେବ କି ନାହିଁ ସନ୍ଦେହ ।’’

 

ଏହା କହି ସେ କାନ୍ଦିଲା– ତା’ର ଦୁଇ ସୁନ୍ଦର ଆଖିରୁ ଝର ଝର ହୋଇ ଲୁହ ଝରି ପଡ଼ିଲା । କାନ୍ଦୁ କାନ୍ଦୁ ସେ କହିଲା–

 

‘‘ମତେ ଏବେ ବିଦାୟ ଦିଅ ରାଜକୁମାର । ମୁଁ ଯାଉଛି । ମତେ ତୁମେ ତିରିଙ୍ଗ ରାଇଜର ମାତାଡ଼ୀ ଡାହାଣୀ ଘରେ ପାଇବ ।’’

 

ଏହା କହି ସେ ଗୋଟାଏ କୋଇଲି ହୋଇଗଲା । ତା’ପରେ ଖୋଲା ଝରକା ବାଟେ ଉଡ଼ି ଯାଇ ନୀଳ ଆକାଶରେ ମିଶିଗଲା ।

 

ସାନ ରାଜାପୁଅ ବହୁତ ଦିନ ଯାଏ ତାକୁ ଝୁରି ହେଲା । ତା’ କଥା ଭାବି ଭାବି କାନ୍ଦିଲା । ଏବେ କ’ଣ କରିବ ବୋଲି ସମସ୍ତଙ୍କୁ ପଚାରିଲା । କିନ୍ତୁ କେହି କିଛି ଉପାୟ ବତାଇ ପାରିଲେ ନାହିଁ-। ତେଣୁ ସେ ତା’ ରୂପା ଧନୁ ଓ ତମ୍ୱା ଶର ଧରିଲା । ଗୋଟାଏ ମୁଣିରେ କିଛି ଖାଇବା-ଜିନିଷ ପୂରାଇ କାନ୍ଧରେ ଝୁଲାଇ ଦେଲା । ତା’ପରେ ସ୍ତ୍ରୀ ସନ୍ଧାନରେ ବାହାରି ପଡ଼ିଲା ।

 

ସେ ଚାଲିଲା– ଖାଲି ଦିନ ରାତି ଚାଲିବାରେ ଲାଗିଲା । ଚାଲୁ ଚାଲୁ ବାଟରେ ଗୋଟାଏ ବୁଢ଼ା ସଙ୍ଗେ ଭେଟ ହେଲା । ବୁଢ଼ାର ଦାଢ଼ୀସବୁ ପାଚି ଝୋଟ ହୋଇଯାଇଥାଏ ।

 

ବୁଢ଼ା ପଚାରିଲା– ‘‘ନମସ୍କାର ସାନ ରାଜାପୁଅ । ତୁମେ କୁଆଡ଼େ ଯାଉଛ ?’’

 

ରାଜାପୁଅ କହିଲା– ‘‘ମୁଁ ମୋ ସ୍ତ୍ରୀକୁ ଖୋଜୁଛି । ସେ ତିରିଙ୍ଗ ରାଇଜର ମାତାଡ଼ୀ ଡାହାଣୀ ଘରେ ଅଛି । ଆପଣ ସେ ରାଇଜ କେଉଁଠି କହି ପାରିବେ ? କେଉଁଠି ମାତାଡ଼ୀ ଡାହାଣୀ ଘର ଜାଣନ୍ତି ?’’

 

ବୁଢ଼ା କହିଲା– ‘‘ହଁ, ଜାଣେ ।’’

 

‘‘ତା’ହେଲେ ମତେ ଦୟା କରନ୍ତୁ ଜେଜେ । କହନ୍ତୁ ସେ କେଉଁଠି ଅଛି ?’’

 

ବୁଢ଼ା କହିଲା– ‘‘କହିଲେ ତୁମର କ’ଣ ଲାଭ ହେବ ? ମୁଁ ତୁମକୁ କହେ କି ନ କହେ ତୁମେ ସେଠିକି ମୋଟେ ଯାଇପାରିବ ନାହିଁ ।’’

 

‘‘କିଛି ଯାଏ ଆସେନି । ମତେ କୁହ । ସବୁଦିନେ ମୁଁ ତୁମକୁ ମନେ ପକଉଥିବି ।’’

 

‘‘ହଉ ଏଇ ସୂତା ପେଣ୍ଡୁଟି ନିଅ । ଏଇ ପେଣ୍ଡୁଟି ଗଡ଼ାଇଦେବ । ତା’ପରେ ତା’ ପଛେ ପଛେ ଯିବ ।’’

 

ସାନ ରାଜାପୁଅ ପେଣ୍ଡୁଟି ଗଡ଼ାଇଦେଲା ତା’ପରେ ତା’ ପଛେ ପଛେ ଗଲା ।

 

Image

 

ସେ ଚାଲିଲା ଖାଲି ଚାଲିଲା । ବାଟରେ ଜଙ୍ଗଲଟିଏ ପଡ଼ିଲା । ଭାରି ଘଞ୍ଚ ଜଙ୍ଗଲ । ବଡ଼ ବଡ଼ ଗଛ ଆକାଶକୁ ମୁଣ୍ଡଟେକି ଠିଆ ହୋଇଥାଏ । ଦିନବେଳା ବି ଚାରିପଟ ଅନ୍ଧାର ।

 

କିଛି ସମୟ ପରେ ଦେଖିଲା ଭାଲୁଟିଏ ତା’ ଆଡ଼େ ଆସୁଛି । ସେ ତା’ ଧନୁ ଧରି ଗୋଟିଏ ତମ୍ୱା ଶର ଯୋଖି ତାକୁ ମାରିବା ପାଇଁ ବସିଲା । କିନ୍ତୁ ଭାଲୁ କହିଲା–

 

‘‘ମତେ ମାର ନାହିଁ ରାଜାପୁଅ । କିଏ ଜାଣେ, ଦିନେ ମୁଁ ହୁଏତ ତୁମ ଦରକାରରେ ଆସିପାରେ ।’’

 

ସାନ ରାଜାପୁଅର ଦୟାହେଲା । ସେ ତାକୁ ମାରିଲା ନାହିଁ ।

 

ତା’ପରେ ସେ ଚାଲିବାକୁ ଲାଗିଲା । ଆସି ପହଞ୍ଚିଲା ଜଙ୍ଗଲର ଶେଷ ସୀମାରେ । ସେଠି ଦେଖିଲା ଗୋଟିଏ ଗଛ ଉପରେ ଚିଲଟିଏ ବସିଛି । ସେ ତା’ ରୂପା ଧନୁରେ ତମ୍ୱା ଶର ଯୋଖି ତାକୁ ଲକ୍ଷ୍ୟ କଲା । କିନ୍ତୁ ଚିଲ କହିଲା–

 

‘‘ମତେ ମାର ନାହିଁ ରାଜାପୁଅ । ଦିନେ ନା ଦିନେ ମୁଁ ତୁମ ଦରକାରରେ ଆସିବି ।’’

 

ସାନ ରାଜାପୁଅର ଦୟା ହେଲା । ତେଣୁ ସେ ତାକୁ ମାରିଲା ନାହିଁ ।

 

ସେ ପୁଣି ସୂତା ପେଣ୍ଡୁ ପଛେ ପଛେ ଚାଲିଲା । ଚାଲି ଚାଲି ଯାଇ ସମୁଦ୍ରକୂଳରେ ପହଞ୍ଚିଲା । ସମୁଦ୍ରକୂଳ ବାଲିରେ ମାଛଟିଏ ଶୋଇଥାଏ । ଖୁବ୍ ଖରା ହେଉଥାଏ । ଏଆଡ଼େ ପାଣି ନାହିଁ । ତେଣୁ ମାଛଟି ମଲାପରି ପଡ଼ିଥାଏ । ସାନ ରାଜାପୁଅ ତାକୁ ମାରିବାକୁ ବସିଲା । କିନ୍ତୁ ମାଛ କହିଲା

 

‘‘ମତେ ମାର ନାହିଁ ରାଜାପୁଅ । ସମୁଦ୍ର ଭିତରେ ଛାଡ଼ି ଦିଅ । ହୁଏତ ଦିନେ ମୁଁ ତୁମର ଦରକାରରେ ଆସିପାରେ ।’’

 

ରାଜାପୁଅ ମାଛକୁ ସମୁଦ୍ର ଭିତରେ ଛାଡ଼ି ଦେଲା । ତା’ପରେ ପୁଣି ଚାଲିବାକୁ ଲାଗିଲା ।

 

ସେ ବହୁତ ବାଟ ଚାଲିଲା । ଶେଷରେ ଯାଇ ପହଞ୍ଚିଲା ତିରିଙ୍ଗ ରାଇଜରେ । ସେଠାରେ ତା’ ଆଖିରେ ପଡ଼ିଲା ଛୋଟ କୁଡ଼ିଆଟିଏ । ଭାଙ୍ଗି ପଡ଼ିବ ବୋଲି ଗୋଟିଏ ଗଛକୁ ଆଉଯାଇ ରଖାଯାଇଛି ।

 

ସାନ ରାଜାପୁଅ କୁଡ଼ିଆ ଭିତରକୁ ଗଲା । ସେଠି ଚୁଲି ପାଖରେ ଜଣେ ଶୋଇଛି । ତା’ ମୁଣ୍ଡ ଚୁଲି । ଉପରେ ସିଏ କିଏ ? କିଏ ଆଉ ହେବ– ମାତାଡ଼ୀ ଡାହାଣୀ ।

 

ସେ କହିଲା ‘‘ସାନ ରାଜାପୁଅ । ତୁ ଏଠିକି ନିଜ ଇଚ୍ଛାରେ ଆସିଛୁ ନା କାହାକୁ ଖୋଜୁଛୁ-?’’

 

ସାନ ରାଜାପୁଅ କହିଲା– ‘‘ନିଜ ଇଚ୍ଛାରେ ଆସିଛି ଜେଜେମା । ମୁଁ ମୋ ସ୍ତ୍ରୀକୁ ଖୋଜୁଛି-।’’

 

ମାତାଡ଼ୀ ଡାହାଣୀ କହିଲା– ‘‘ସେ ବେଙ୍ଗ ମୋ ଭାଇ ଘରେ ଚାକରାଣୀ ଅଛି । ସେ ଗୋଟିଏ ଉଆସରେ ରହୁଛି । ମଝି ଦରିଆରେ ସେ ଉଆସଟି । କିନ୍ତୁ ମନେରଖ, ସେଠି ପହଞ୍ଚିବା ପରେ କାହାର କିଛି କ୍ଷତି କରିବୁନି । ତୋ ସ୍ତ୍ରୀକୁ ଦେଖିବା ମାତ୍ରେ ତାକୁ ଧରିପକାଇବୁ । ତା’ପରେ ଏକ ମୁହାଁ ହୋଇ ଚାଲିଆସିବୁ । ପଛକୁ ମୋଟେ ଚାହିଁବୁ ନାହିଁ ।

 

ସାନ ରାଜାପୁଅ ତା’ ନିଜ ବାଟରେ ଚାଲିବାକୁ ଲାଗିଲା ।

 

ସେ ଚାଲି ଚାଲି ଯାଇ ସମୁଦ୍ରକୂଳରେ ପହଞ୍ଚିଲା । ସେଇଟି ଏତେ ବଡ଼ ସମୁଦ୍ର ଯେ ଚାହିଁଲେ ଆଖି ପାଇବ ନାହିଁ । ସେ ଦ୍ୱୀପଟି କେଉଁଠି ସେ କେମିତି ଜାଣିବ ?

 

ମୁଣ୍ଡ ତଳକୁ କରି ସେ ସମୁଦ୍ର କୂଳେ କୂଳେ ଚାଲିବାକୁ ଲାଗିଲା ।

 

ହଠାତ୍ ସମୁଦ୍ର ଭିତରୁ କିଏ ପହଁରି ପହଁରି ଆସିଲା ? ବଡ଼ ବଡ଼ ଦାନ୍ତ ଥିବା ସେଇ ମାଛଟି ।

 

ସେ ପଚାରିଲା– ‘‘ତମର ମନ ଦୁଃଖ କାହିଁକି ରାଜାପୁଅ ?’’

 

ରାଜାପୁଅ କହିଲା– ‘‘ସମୁଦ୍ର ମଝିରେ ଗୋଟିଏ ଦ୍ୱୀପ ଅଛି । ମୁଁ ସେଠିକି ଯିବାକୁ ଚାହେଁ-। କିନ୍ତୁ ସେଠିକି ଯିବି କେମିତି ?’’

 

ମାଛ କହିଲା– ‘‘ଦୁଃଖ କରନି । ମୁଁ ତମକୁ ସାହାଯ୍ୟ କରିବି ।’’

 

ମାଛ ତା’ ଲାଞ୍ଜକୁ ପାଣିରେ ବାଡ଼େଇଲା । ଓଃ– ଏ କ’ଣ ? ହଠାତ୍ ତା’ ଆଖି ଆଗରେ ଗୋଟିଏ ସୁନ୍ଦର ପୋଲ ହୋଇଗଲା । ସେମିତି ପୋଲଟିଏ ବି କେଉଁ ରାଜା ତିଆରି କରିପାରିବନି-। ତା’ ଖୁଣ୍ଟ ସବୁ ରୂପାରେ ତିଆରି । ବାଡ଼ ସୁନା ଓ ଚଟାଣ କାଚ ।

 

ରାଜାପୁଅ ପୋଲ ଉପରେ ଯାଇ ସେହି ଦ୍ୱୀପରେ ପହଞ୍ଚିଲା ।

 

ଦ୍ୱୀପ ସାରା ଘନ ଜଙ୍ଗଲ । ଖୁବ୍ ଅନ୍ଧାରୁଆ । କେହି ତା’ ଭିତରେ ଦେଇ ଯିବା ସହଜ ନୁହେଁ । ରାଜାପୁଅ ଜଙ୍ଗଲ ଦାଢ଼ରେ ଖାଲି ବୁଲିବାକୁ ଲାଗିଲା । ତାକୁ ଭାରି ଭୋକ ହେଉଥାଏ । ସେ ମୁଣିରେ ଯାହା ଖାଇବା ଜିନିଷ ଆଣି ଥିଲା ତାହା ସବୁ ସରିଗଲାଣି । ସେ ବଡ଼ ପାଟିରେ କାନ୍ଦିବାକୁ ଲାଗିଲା । ତା’ପରେ ସେ ତଳେ ବସି ପଡ଼ିଲା । ଭାବିଲା, ବୋଧହୁଏ ସେ ଆଉ ବଞ୍ଚିବ ନାହିଁ ।

 

ଏଇ ସମୟରେ ଜଙ୍ଗଲ ଭିତରୁ କିଏ ଦଉଡ଼ି ଦଉଡ଼ି ଆସିଲା ? ଠେକୁଆଟିଏ । ଠେକୁଆ ଦଉଡ଼ି ପଳାଇବାକୁ ବସିଛି, ହଠାତ୍ କୁଆଡ଼ୁ ଗୋଟିଏ ଚିଲ ଉଡ଼ି ଆସିଲା ଓ ଠେକୁଆ ଉପରକୁ ଡେଇଁପଡ଼ି ତାକୁ ମାରିଦେଲା । ରାଜାପୁଅ ଟିକି ଟିକି କରି ଠେକୁଆ ମାଂସ କାଟିଲା । ତା’ପରେ ନିଆଁ ଲଗାଇ ତାକୁ ପୋଡ଼ିଲା । ମାଂସ ପୋଡ଼ା ସରିବା ପରେ ତାକୁ ଖାଇଲା ।

 

ମାଂସତକ ପେଟରେ ପଡ଼ିବାରୁ ତାକୁ ଭାରି ଆରାମ ଲାଗିଲା । ସେ ପୁଣି ଜଙ୍ଗଲ ଦାଢ଼େ ଦାଢ଼େ ଚାଲିବାକୁ ଲାଗିଲା । ମାତାଡ଼ୀ ଡାହାଣୀର ଭାଇ ଉଆସକୁ କେମିତି ଯିବ ସେଇ ଚିନ୍ତା । କିନ୍ତୁ କିଛି ଉପାୟ ଦେଖାଗଲା ନାହିଁ । ହଠାତ୍ କିଏ ଆସିଲା ? ଭାଲୁଟିଏ ।

 

ଭାଲୁ କହିଲା– ‘‘ସାନ ରାଜାପୁଅ, ତୁମେ ଏଠି କ’ଣ କରୁଛ ?’’

 

ରାଜାପୁଅ କହିଲା– ‘‘ଉଆସକୁ କେମିତି ଯାଇ ହେବ ସେଇ କଥା ଭାବୁଛି । କିନ୍ତୁ ଏଇ ଗହଳିଆ ଜଙ୍ଗଲ ଦେଇ ଯାଇ ହେବ ନାହିଁ ।’’

 

ଭାଲୁ କହିଲା– ‘‘ଭୟ କରନାହିଁ । ମୁଁ ତମକୁ ସାହାଯ୍ୟ କରିବି ।’’ ଏହା କହୁ କହୁ ଭାଲୁ ବଡ଼ ବଡ଼ ଗଛକୁ ଓପାଡ଼ିବାରେ ଲାଗିଲା ।

 

କିଛି ସମୟ ପରେ ଭାଲୁ ହାଲିଆ ହୋଇଗଲା । ତାକୁ ଭାରି ଶୋଷ ହେଲା । ସେ ପାଣି ପିଇବାକୁ ଗଲା । ତା’ପରେ ଫେରିଆସି ବାଟ ତିଆରିରେ ଲାଗିଗଲା ।

 

Image

 

ରାଜାପୁଅ ଚାଲିଲେ । ଚାଲି ଚାଲି ଜଙ୍ଗଲ ମଝିରେ ପହଞ୍ଚିଲେ । ଦେଖିଲେ, ସେଠି କାଚର ସୁନ୍ଦର ଉଆସଟିଏ ଠିଆ ହୋଇଛି । ସାନ ରାଜାପୁଅ ସିଧା ଉଆସ ପାଖକୁ ଗଲେ ।

 

ଉଆସ ପାଖକୁ ଯାଇ ଲୁହା କବାଟ ଫିଟାଇ ଭିତରକୁ ଚାହିଁଲେ । କିନ୍ତୁ ଭିତରେ କେହି ନଥାନ୍ତି । ସେ ପୁଣି ଆଉ ଗୋଟିଏ ରୂପା କବାଟ ଫିଟାଇଲେ । କିନ୍ତୁ ସେଠାରେ ମଧ୍ୟ କେହି ନଥାନ୍ତି-। ତୃତୀୟ ଦ୍ୱାରରେ ସୁନା କବାଟ ଲାଗିଥାଏ । ସେ ତାକୁ ଫିଟାଇଲେ ।

 

ଘର ଭିତରେ ତାଙ୍କ ସ୍ତ୍ରୀ ବସି ଲୁଗା ବୁଣୁଥାନ୍ତି । ସେ ଦୁଃଖରେ ଖୁବ୍ ଭାଙ୍ଗି ପଡ଼ିଥାନ୍ତି । ତାଙ୍କୁ ଦେଖି ରାଜାପୁଅଙ୍କର ଭାରି ଦୁଃଖ ହେଲା ।

 

ତାଙ୍କ ସ୍ତ୍ରୀ ତାଙ୍କୁ ଦେଖିପାରିଲେ । ସଙ୍ଗେ ସଙ୍ଗେ ଦଉଡ଼ି ରାଜାପୁଅ ପାଖକୁ ଚାଲି ଆସିଲେ ।

 

ସେ କହିଲା– ‘‘ଓଃ, ଏତେ ଦିନ ପରେ ତୁମକୁ ଦେଖିଲି । ତୁମେ ଯଦି ଆହୁରି ଡେରି କରିଥା’ନ୍ତ, ତେବେ ମତେ ଆଉ ଦେଖିପାରି ନଥାନ୍ତ ।’’

 

କହୁ କହୁ ଖୁସିରେ ସେ କାନ୍ଦି ପକାଇଲେ । ରାଜାପୁଅ ବି ଖୁବ୍ ଖୁସି ହୋଇଗଲେ । ସେ ସ୍ୱର୍ଗପୂରରେ ଅଛନ୍ତି କି ମର୍ତ୍ତ୍ୟରେ ଅଛନ୍ତି ଜାଣିପାରିଲେନି । ଉଭୟଙ୍କ ଆଖିରୁ ଖୁସିରେ ଲୁହ ଝରି ପଡ଼ିଲା ।

 

ରାଜାପୁଅଙ୍କର ସ୍ତ୍ରୀ ପୁଣି ବଡ଼ କୋଇଲିଟିଏ ହୋଇଗଲେ । ତା’ପରେ ଡେଣାରେ ରାଜାପୁଅଙ୍କୁ ଜାକି ଧରି ଉଡ଼ି ଚାଲିଲେ ।

 

ସେମାନେ ଆସି ତାଙ୍କ ରାଇଜରେ ପହଞ୍ଚିଲେ । ବେଙ୍ଗୁଲୀ ପୁଣି ତା’ ନିଜ ରୂପ ଧରିଲା ଓ କହିଲା–

 

‘‘ବାପା ମତେ ଅଭିଶାପ ଦେଇଥିଲେ । ତିନି ବର୍ଷ ଯାଏ ଡାହାଣୀର ସେବା କରିବାକୁ କହିଥିଲେ । ୟା ଭିତରେ ତିନି ବର୍ଷ ବିତି ଗଲାଣି । ଅଭିଶାପ ବି କଟିଗଲାଣି ।’’

 

ତେଣୁ ସେମାନେ ତାଙ୍କ ଘରେ ପୁଣି ସୁଖରେ ରହିବାକୁ ଲାଗିଲେ ।

Image